ସଂକଟରେ ଲେମନ୍ ଗ୍ରାସ ଚାଷୀ, ପ୍ଲାଣ୍ଟରେ ତେଲ ଉତ୍ପାଦନ ବନ୍ଦ

କୋରାପୁଟ: ଚିନ୍ତାରେ ପଡିଛନ୍ତି ଲେମନ୍ ଗ୍ରାସ ଚାଷୀ । କୋରାପୁଟ ଜିଲ୍ଲା ନାରାୟଣପାଟଣା ଓ ବନ୍ଧୁଗାଁ ଅଞ୍ଚଳରେ ଶହ ଶହର ଏକର ଜମିରେ ଲେମନ ଗ୍ରାସ ଚାଷ ହୋଇଥିବା ବେଳେ  ବଜାର ଦର କମିଯିବାରୁ ଉଚିତ୍ ମୁଲ୍ୟ ପାଉନି ଚାଷୀ ।  ଦୁଇ ମାସ ମଧ୍ୟରେ ଲିଟର ପିଛା ଦର ୧୬୦୦ ଟଙ୍କାରୁ ୭୦୦ କୁ ଖସିଆସିବା ପରେ ଏଭଳି ସ୍ଥିତି ଉପୁଜିଛି । ଲାଭ ତ ଦୂରର କଥା ଶ୍ରମିକଙ୍କ ମଜୁରି ଓ ପ୍ଲାଣ୍ଟ୍ ପରିଚାଳନା ଖର୍ଚ୍ଚ ବି ଉଠୁନି। ବଜାର ଦରରେ କୌଣସି ପରିବର୍ତ୍ତନ ଆସୁନଥିବାରୁ ଶେଷରେ ନିରାଶ ଚାଷୀ ପ୍ରୋସେସିଂ ପ୍ଲାଣ୍ଟ ବନ୍ଦ କରିଛନ୍ତି। ଫଳରେ କୋରାପୁଟ ଜିଲ୍ଲାର ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକର ଶହେରୁ ଊର୍ଦ୍ଧ୍ବ ଲେମନ୍ ଗ୍ରାସ୍ ପ୍ଲାଣ୍ଟରୁ ତେଲ ଉତ୍ପାଦନ ହେଉନାହିଁ ।

ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକର ୮୦ ପ୍ରତିଶତ ଜମିରେ ଲେମନ୍ ଗ୍ରାସ୍ ଚାଷ ହେଉଛି । ତେଲ ପ୍ରସ୍ତୁତ ପାଇଁ ବନ୍ଧୁଗାଁରେ ୮୦ଟି, ନାରାୟଣପାଟଣା ବ୍ଲକରେ ୬୦ରୁ ଊର୍ଦ୍ଧ୍ବ ପ୍ରୋସେସିଂ ପ୍ଲାଣ୍ଟ୍ ରହିଛି। ଏଠାରୁ ପ୍ରସ୍ତୁତ ତେଲର ଚାହିଦା ଜାତୀୟ ବଜାରରେ ରହିଥିବାରୁ ବର୍ଷକୁ ପାଖାପାଖି ୨୫ କୋଟି ଟଙ୍କାର ବ୍ୟବସାୟ ହୋଇଥାଏ। ଆଉ ଏହି ତେଲକୁ ଚାଷୀ ଆନ୍ଧ୍ର ବ୍ୟବସାୟୀଙ୍କ ମାଧ୍ୟମରେ ଚାଷୀ ବିକ୍ରି କରୁଥିଲେ।  ପୁର୍ବରୁ ଲିଟର ପିଛା ୧୬୦୦ ଟଙ୍କା ଦେଉଥିବା ବେପାରୀ ଏବେ  ୭୦୦ ଟଙ୍କାରୁ ଅଧିକ ଦେବାକୁ ରାଜି ହେଉନି । ଏଣୁ ଚାଷୀଙ୍କ ମୁଣ୍ଡରେ ପଡ଼ିଛି ଚଡ଼କ। ଗୋଟିଏ ଏକର ଜମିରେ ଚାଷ ପାଇଁ ୧୦ ହଜାର ଟଙ୍କ‌ା ଖର୍ଚ୍ଚ ହେଉଥିବା ବେଳେ ଉତ୍ପାଦନ ପରେ ୧୦ରୁ ୧୨ ଲିଟର ତେଲ ବାହାରିଥାଏ। ଦର ୧୬୦୦ ଥିବା ବେଳେ ଚାଷୀଙ୍କୁ ଲାଭ ମିଳୁଥିଲା। ଲିଟର ପିଛା ଦର ୭୦୦କୁ ଖସିବା ପରେ ଚାଷୀ ବ୍ୟାପକ କ୍ଷତିର ସମ୍ମୁଖୀନ ହେଉଛନ୍ତି । ଆନ୍ଦ୍ର ବେପାରୀଙ୍କ ଉପରେ ଭରସା କରି ବ୍ୟବସାୟ ଚାଲୁଥିବାରୁ  ଏବେ କାହାକୁ କିଛି କହି ପାରୁନି ଚାଷୀ ।

You may also like...

Leave a Reply

Your email address will not be published. Required fields are marked *