ଜୟପୁର ଶିକ୍ଷକଙ୍କୁ ହତ୍ୟା ମାମଲା, ଗିରଫ ହେଲା ଅଟୋ ଡ୍ରାଇଭର
ଜୟପୁର : ଅବସରପ୍ରାପ୍ତ ଶିକ୍ଷକଙ୍କୁ ବିଶ୍ଵାସରେ ବିଷ ଦେଇ ଚାଲିଥିଲା । ଯେବେ ସନ୍ଦେହ ବଢିଲା ଘାତକ ସାଜିଲା ଅଟୋ ଡ୍ରାଇଭରର । କେନାଲ ଭିତରକୁ ଠେଲି ହତ୍ୟା କଲା। ହେଲେ କୋରାପୁଟ ପୋଲିସର ତଦନ୍ତ ପ୍ରକ୍ରିୟାରେ ଫସିଗଲା । ଘଟଣାର ୪ ମାସ ପରେ ଅଭିଯୁକ୍ତକୁ ଗିରଫ କଲା ୩ ଟି ଥାନା ପୋଲିସର ମିଳିତ ଟିମ୍।

ଗତ ମାର୍ଚ୍ଚ ମାସରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ବୋରିଗୁମ୍ମା ଥାନା ପୁଲିସ ଗୁରବାର ଜଣେ ଅଟୋ ଡ୍ରାଭରଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଅଟୋ ଡ୍ରାଇଭର ଜୟପୁର ସହରର ହାଇଦ୍ରାବାଦ ଲାଇନର ସେକ ଫାରୁକ (୩୦) । ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୁଲିସକୁ ଦୀର୍ଘ ୪ ମାସ ସମୟ ଲାଗିବା ବେଳେ ଏହି ହତ୍ୟାକାରୀଙ୍କୁ ଗିରଫ କରିବାରେ ଜୟପୁର ଟାଉନଥାନା ପୁଲିସ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବେଳେ ବୋରିଗୁମ୍ମା ଏବଂ କୋଟପାଡ ଥାନା ପୁଲିସର ସହାୟତାରେ ଦୀର୍ଘ ୪ ମାସ ପରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳତା ମିଳିଛି । ବୋରିଗୁମ୍ମା ପୁଲିସ ସୂଚନା ଅନୁଯାୟୀ, ଗତ ଏପ୍ରେଲ ୧୫ ତାରିଖରେ ନିହତ ହୋଇଥିବା ଅବସରପ୍ରାପ୍ତ ପ୍ରଧାଶିକ୍ଷକ ଜୟପୁର ସହରର ବାଲିପଟ୍ଟା ସାହି ଭାସ୍କର ଚନ୍ଦ୍ର ସାହୁ (୬୧) ସାନ ଭାଇ ଜୟପୁର ଟାଉନଥାନାରେ ତାଙ୍କ ବଡଭାଇ ଗତ ମାର୍ଚ୍ଚ ୨୬ ତାରିଖ ଠାରୁ ନିରୁଦ୍ଧିଷ୍ଟ ରହିଥିବା ନେଇ ଲିଖିତ ଅଭିଯୋଗ କରିଥିଲେ । ଏଥିନେଇ ଟାଉନଥାନା ପୁଲିସ ଜିଲ୍ଲାର ଆଖପାଖ ଥାନାକୁ ଜଣାଇବା ସହିତ ତଦନ୍ତ ଆରମ୍ଭ କରିଥିଲେ । ଏହିପରି ଜିଲ୍ଲାର କୋଟପାଡ ଥାନା ଅଞ୍ଚଳର କେନାଲରେ ଗତ ମାର୍ଚ୍ଚ ଶେଷ ସପ୍ତାହରେ ଏକ ଗଳିତ ଶବ ଉଦ୍ଧାର କରାଯାଇଥିବା ନେଇ ଜୟପୁର ଟାଉନଥାନାକୁ କୋଟପାଡ ଥାନା ପୁଲିସ ସୂଚନା ଦେଇଥିଲେ । ଏଥିନେଇ ଟାଉନଥାନା ପୁଲିସ ପକ୍ଷରୁ ପରିବାର ଲୋକଙ୍କୁ ମୃତକଙ୍କ ଫୋଟ ଦେଖାଇଥିଲେ । କିନ୍ତୁ ତାଙ୍କ ଶବ ବିକୃତ ହୋଇଥିବା ହେତୁ ପରିବାର ଲୋକ ଚିହ୍ନଟ କରିପାରିନଥିଲେ । ଉକ୍ତ ଫୋଟଚିତ୍ର ସହିତ ମୃତକଙ୍କ କିଛି ସାମଞ୍ଜସ୍ୟ ରହିଥିବା ନେଇ ପୁଲିସ ସନ୍ଦେହରେ ତାଙ୍କର ଡିଏନଏ ପରୀକ୍ଷା କରିଥିଲା । ଏଥିରେ ମୃତକ ଭାସ୍କର ସାହୁ ବୋଲି ଚିହ୍ନଟ କରାଯାଇଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ତାଙ୍କୁ ହତ୍ୟା କରାଯାଇଥିବା ନେଇ ପୁଲିସ ନିଶ୍ଚିତ ହୋଇଥିଲା । ଏଥିନେଇ ଜୟପୁର ଟାଉନଥାନା ଅଧିକାରୀ ସମ୍ବିତ ବେହେରାଙ୍କ ନେତୃତ୍ବରେ ତଦନ୍ତ ଆରମ୍ଭ କରାଯାଇଥିଲା । ଏହିପରି ଜୟପୁର ସହରର ଅଭିଯୁକ୍ତ ଅଟୋ ଚାଳକ ଫାରୁକଙ୍କ ସହିତ ସେ ଅଟୋରେ ବୁଲାବୁଲି କରୁଥିବା ବେଳେ ଗତ ଫେବୃୟାରୀ ମାସରେ ମୃତକଙ୍କ ଜମାଖାତାରୁ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୪ ଲକ୍ଷ ଟଙଅକା ଗାୟବ ହୋଇଥିବା ନେଇ ଜଣାପଡିଥିଲା । ଏଥିନେଇ ମୃତକ ଗତ ମାର୍ଚ୍ଚ ୧ ତାରିଖରେ ଟାଉନଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହିପରି ଘଟଣାକୁ ନେଇ ଟାଉନଥାନା ପୁଲିସର ସନ୍ଦେହ ଉକ୍ତ ଅଟୋ ଚାଳକଙ୍କ ଉପରେ ଯାଇଥିଲା । ଅଭିଯୁକ୍ତ ଅଟୋ ଚାଳକଙ୍କୁ ଥାନାକୁ ଆଣି ପଚରା ଉଚରା ବେଳେ ଗତ ମାର୍ଚ୍ଚ ୨୯ ତାରିଖରେ ଉମରକୋଟରୁ ଅଟୋରେ ଜୟପୁର ଫେରୁଥିବା ବେଳେ ଜୟନ୍ତୀଗିରି କେନାଲକୁ ଶୌଚ ବାହାନାରେ ନେଇ କେନାଲ ପାଣିରେ ଠେଲିଦେଇ ହତ୍ୟା କରିଥିବା ନେଇ ସ୍ବିକାର କରିଥିଲା । ଏହିପରି ରାସ୍ତାରେ ମୃତକ ଭାସ୍କରଙ୍କ ବ୍ୟାଙ୍କ ଜମାଖାତାର ଟଙ୍କା ଏଟିଏମ ମାଧ୍ୟମରେ ଉଠାଇ ଅଭିଯୁକ୍ତ ଫାରୁକ ନେଇଥିବା ନେଇ ଗାଳିଗୁଲଜ କରିବା ସହିତ ଏଥିନେଇ ପୁଲିସକୁ ଜଣାଇବେ ବୋଲି କହିଥିଲେ । ଏଥିରେ ପୁଲିସ ଗିରଫ କରିବା ଭୟରେ ହତ୍ୟା କରିଥିବା ନେଇ ପୁଲିସ ନିକଟରେ ଅଭିଯୁକ୍ତ ସ୍ବୀକାର କରିଥିଲା । ହତ୍ୟା ଘଟଣା ବୋରିଗୁମ୍ମା ଥାନା ଜୟନ୍ତୀଗିରି ଗ୍ରାମ ନିକଟରେ ହୋଇଥିବାରୁ ବୋରିଗୁମ୍ମା ଥାନାରେ ଏକ ହତ୍ୟା ମାମଲା (୯୯/୨୩) ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ଯୁଗଳ କିଶୋର ସା ପ୍ରକାଶ କରିଛନ୍ତି ।