ଦେଓମାଳିରେ କଂକ୍ରିଟ୍ ନିର୍ମାଣକୁ ବିରୋଧ, ଗ୍ରୀନ୍ ଟ୍ରିବ୍ୟୁନାଲରେ ମାମଲା

କୋରାପୁଟ: ଦେଓମାଳି ପର୍ବତରେ କଟେଜ ନିର୍ମାଣକୁ ନେଇ ଏବେ ଗ୍ରୀନ ଟ୍ରିବୁନାଲର ଦ୍ବାରସ୍ଥ ହୋଇଛନ୍ତି ପ୍ରକକୃତି ପ୍ରେମୀ । ଦେଓମାଳି ଶିଖରରେ କଟେଜ ନିର୍ମାଣ ପାଇଁ ଓଡିଶା ସରକାର ଯୋଜନା କରୁଥିବା ବେଳେ ଏବେ ଏହାକୁ ନେଇ ଅଡୁଆ ବଢିଛି | ପ୍ରାୟ ୨୫ ଏକର ଜଙ୍ଗଲ ଜମିରେ କଟେଜ୍ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ବେଳେ କଂକ୍ରିଟ ନିର୍ମାଣକୁ ବିରୋଧ କରି ୱାଇଲ୍ଡ ଲାଇଫ ସୋସାଇଟି ଅଫ୍ ଓଡ଼ିଶା ପକ୍ଷରୁ ଏନଜିଟି ବା ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲରେ ଅଭିଯୋଗ କରାଯାଇଛି | ଏହାକୁ ଗ୍ରହଣ କରି ଏନଜିଟି ରାଜ୍ୟ ବନ ବିଭାଗ, କୋରାପୁଟ ଜିଲ୍ଲାପାଳ, କୋରାପୁଟ ବନଖଣ୍ଡ ଅଧିକାରୀଙ୍କୁ ନୋଟିସ କରିଛନ୍ତି | ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଅଗଷ୍ଟ ୨୩ରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି | 2022ରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଦେଓମାଳୀ ଗସ୍ତରେ ଯାଇ ସେଠାକାର ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ସେମାନଙ୍କ ଆର୍ଥିକ ସ୍ଥିତିକୁ ମଜଭୁତ କରିବାକୁ ସରକାରଙ୍କ ଦ୍ବାରା ସବୁ ପ୍ରୟାସ କରାଯିବ ଓ ସର୍ବୋଚ୍ଚ ଶୃଙ୍ଗ ଦେଓମାଳି ପର୍ଯ୍ୟଟକଙ୍କ ଆକର୍ଷଣ କେନ୍ଦ୍ର ପାଲଟିବ ବୋଲି କହିଥିଲେ । ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ବଡ଼ ଘୋଷଣା କରିଥିଲେ। ଦେଓମାଳିରେ ହୋଟେଲ ନିର୍ମାଣ ସହ ଇକୋ ଟୁରିଜିମ୍ କଟେଜ୍ ନିର୍ମାଣ କରାଯିବ ଓ ଏହାର ସଂପୂର୍ଣ୍ଣ ଦାୟିତ୍ବ ଏସ୍ଏଚ୍ଜିକୁ ଦିଆଯିବ ଏବଂ ତାହାର ତଦାରଖ ମହିଳାମାନେ କରିବେ ବୋଲି କହିଥିଲେ। ଦେଓମାଳୀ ପର୍ବତ ଶିଖରକୁ ଯାଇ ଇକୋ ଟୁରିଜିମ୍ କଟେଜ୍ ନିମନ୍ତେ କେତେକ ସ୍ଥାନରେ ଜମି ଚିହ୍ନଟ କରିଥିଲେ। ଯାହାକୁ ନେଇ ଏବେ ଏନଜିଟିରେ ମାମଲା ଦାୟର ହୋଇଛି | ଶୁଣାଣି ପରେ ଦେଓମାଳିର ଭବିଷ୍ୟତ ଆକଳନ ହୋଇପାରିବ ।