କୋରାପୁଟରେ ବର୍ଷା ଋତୁ ପର୍ଯ୍ୟଟକଙ୍କୁ ଆକୃଷ୍ଠ କରୁଛି
କୋରାପୁଟ: ପ୍ରାକୃତିକ ସମ୍ପଦଭରା କୋରାପୁଟ ଜିଲ୍ଲା ସହିତ ମୌସୁମୀର ବାଦଲଘେରା ବର୍ଷା ଓ ବର୍ଷାଦିନିଆ ଜୀବନଜୀବିକାର ରହିଛି ଆଦିମ ସମ୍ପର୍କ। ଏମିତି କି କୋରାପୁଟକୁ ଧାନର ଉତ୍ପତ୍ତିସ୍ଥଳ ବୋଲି କୁହାଯାଏ। କେବଳ ଏତିକି ନୁହେଁ; ଗୁପ୍ତେଶ୍ୱର ଶୈବ ପୀଠ, ଡୁଡୁମା ଜଳପ୍ରପାତ, ରାଣୀ-ଡୁଡୁମା ଜଳପ୍ରପାତ, ନନ୍ଦପୁର ବତ୍ରିଶ ସିଂହାସନ, ଓଡ଼ିଶାର ସର୍ବୋଚ୍ଚ ଶୃଙ୍ଗ ଦେଓମାଳି ପର୍ବତ ଭଳି ଦର୍ଶନୀୟ ସ୍ଥାନ କୋରାପୁଟ ଜିଲ୍ଲାକୁ ସ୍ୱତନ୍ତ୍ର ପରିଚୟ ଦେଇ ଥିବାବେଳେ ବର୍ଷାଦିନେ ଏହାର ମନୋରମ ଦୃଶ୍ୟ ଦ୍ବିଗୁଣିତ ହୋଇଉଠେ। ଯାହାକୁ ଦେଖବା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ତଥା ରାଜ୍ୟ ବାହାରୁ ମଧ୍ୟ ପ୍ରକୃତିପ୍ରେମୀଙ୍କ ସମାଗମ ହୁଏ। ସବୁଠାରୁ ବଡ଼କଥା ହେଉଛି ବର୍ଷା ଚାରିମାସରେ ଏଠାକାର ଜୀବନଜୀବିକାର ମଧ୍ୟ ସ୍ବତନ୍ତ୍ରତା ରହିଛି।

ବର୍ଷା ଋତୁରେ କୋରାପୁଟ ଜିଲ୍ଲାର ଦିନ ମଜୁରିଆ ଓ ଗରିବ ଲୋକ କାମ ଧନ୍ଦା ଅଭାବରୁ ଜଙ୍ଗଲରୁ କରଡ଼ି, ବୋଡାଛତୁ, ଶ୍ରାବଣ ଛତୁ ଏବଂ ଝୁଣା ସଂଗ୍ରହ କରି ପରିବାର ପୋଷଣ କରି ଥାଆନ୍ତି। ଏହା କୋରାପୁଟର ଗରିବ ଲୋକଙ୍କ ପାଇଁ ଭଗବାନଙ୍କ ଆଶୀର୍ବାଦ ସଦୃଶ। କାରଣ ଏ ସବୁ ଜିନିଷ ସେମାନେ କାହା ଠାରୁ କିଣି ନ ଥାନ୍ତି। ନିଜେ ପରିଶ୍ରମ କରି ଜଙ୍ଗଲକୁ ଯାଇ ପ୍ରକୃତିର ଅବଦାନ ଥିବା ଏହି ସବୁ ସାମଗ୍ରୀ ସଂଗ୍ରହ କରି ବଜାରରେ ବିକ୍ରି କରି ଭଲ ଲାଭ ପାଇ ଥାଆନ୍ତି। ଝୁଣା ବଜାରରେ ସେମାନେ କିଲୋଗ୍ରାମ ପିଛା ୪୦୦-୫୦୦ ଟଙ୍କାରେ ବିକ୍ରି କରୁଥିବାବେଳେ ୧ ନମ୍ବର ଝୁଣା ୬୦୦ ଟଙ୍କାରେ ବିକ୍ରିକରି ଥାଆନ୍ତି। ଜଣେ ସପ୍ତାହକରେ ଅତି କମରେ ୪-୫ କିଲୋ ଝୁଣା ବିକି ପ୍ରାୟ ୨୫୦୦ ଟଙ୍କା ରୋଜଗାର କରିପାରେ। ଝୁଣା ସଂଗ୍ରହ ଓ ବିକ୍ରି ବର୍ଷ ତମାମ ଚାଲିଥାଏ ତଥାପି ବର୍ଷା ଦିନେ ଏହା ଲୋକଙ୍କୁ ଭଲ ରୋଜଗାର ଦେଇଥାଏ। ସେହିପରି ବର୍ଷା ଋତୁରେ କୋରାପୁଟ ଜିଲ୍ଲାରେ ବୋଡ଼ା ଛତୁ ଏବଂ ଶ୍ରାବଣ ଛତୁ ଲୋକଙ୍କୁ ମାତ୍ର ଅଳ୍ପ ଦିନରେ ଭଲ ରୋଜଗାର ଦେଇଥାଏ। ଏହି ଛତୁ କେବଳ ଜୁଲାଇ ଏବଂ ଅଗଷ୍ଟ ମାସରେ ହିଁ ମିଳିଥାଏ ତେଣୁ ଏହାର ଚାହିଦା ଅଧିକ ଥାଏ।
ବୋଡ଼ା ଛତୁ ସାଧାରଣତଃ ଶାଳବଣ ଭିତରେ ମାଟି ତଳେ ଫୁଟି ଥାଏ, ତେଣୁ କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା, ବୋରିଗୁମ୍ମା, ଅଞ୍ଚଳରେ ଅଧିକ ମିଳିଥାଏ। ବଜାରରେ ଏହା ସାଧାରଣତଃ କିଲୋ ପିଛା ୧୦୦୦-୧୨୦୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଏହା କେବଳ ଜୁଲାଇ ଓ ଅଗଷ୍ଟରେ ହିଁ ବହୁଳ ପରିମାଣରେ ଉପଲବ୍ଧ ହୋଇଥାଏ। ଦୁଇ ମାସରେ ଗୋଟେ ପରିବାର ବୋଡ଼ା ଛତୁ ବିକ୍ରିକରି ହାରାହାରି ୫୦ ହଜାରରୁ ୬୦ ହଜାର ଟଙ୍କା ରୋଜଗାର କରି ଥାଆନ୍ତି। ସେହିପରି କୋରାପୁଟ ଜିଲ୍ଲାରେ ଜୁଲାଇ ଅଗଷ୍ଟ ମାସରେ ପ୍ରଚୁର ମାତ୍ରାରେ ଶ୍ରାବଣ ଛତୁ ମିଳିଥାଏ। ଜିଲ୍ଲାର ପ୍ରାୟ ସବୁ ଅଞ୍ଚଳରେ ଶ୍ରାବଣ ଛତୁ ମିଳିଥିବାରୁ ଗ୍ରାମାଞ୍ଚଳ ଲୋକଙ୍କର ଦୁଇ ମାସ ପାଇଁ ରୋଜଗାରର ସେତେଟା ସମସ୍ୟା ନ ଥାଏ। ଶ୍ରାବଣ ଛତୁ ବଜାରକୁ ନୂଆ ଆସିଲେ କିଲୋଗ୍ରାମ ପିଛା ୧୨ଶହରୁ ୧୫ଶହ ଟଙ୍କାରେ ବିକ୍ରି ହୋଇଥାଏ। ଏହି ଛତୁର ଏତେ ଚାହିଦା ଯେ ଲୋକେ ମୂଲ୍ୟ ଦେଖନ୍ତି ନାହିଁ, ଛତୁ ନଜରକୁ ଆସିବା ମାତ୍ରେ ତୁରନ୍ତ କିଣି ନିଅନ୍ତି। କୋରାପୁଟ ଜିଲ୍ଲା ଗ୍ରାମାଞ୍ଚଳର ପ୍ରାୟ ୫୦ ପ୍ରତିଶତ ଶ୍ରମଜୀବୀ ବର୍ଷା ଦୁଇ ମାସ କାଳ ଝୁଣା, ଛତୁ, କରଡ଼ି ଇତ୍ୟାଦି ବିକ୍ରିକରି ରୋଜଗାର କରି ଥାଆନ୍ତି।
ବର୍ଷା ଋତୁରେ କୋରାପୁଟର ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନୋରମ। ବିଶେଷକରି ମେଘମାଳରେ କୋରାପୁଟର ପାହାଡ଼ିଆ ରାସ୍ତା ଦେଇ ଯାତ୍ରା କରିବାର ଅନୁଭବ ପ୍ରକୃତିସ୍ତ ପ୍ରେମୀଙ୍କୁ ବିମୋହିତ କରିଥାଏ। ଅବଶ୍ୟ ୩୦ ବର୍ଷ ପୂର୍ବରୁ କୋରାପୁଟ ଜିଲ୍ଲାରେ ଯେଉଁ ବର୍ଷା ଥିଲା ତାହା ଆଜି ନାହିଁ। ପରିବର୍ତ୍ତିତ ପରିବେଶ ଯୋଗୁଁ ବର୍ଷାର ପରିମାଣ କମି ଯାଇଛି ତଥାପି କୋରାପୁଟିଆ ବର୍ଷାର ମଜା ଅତି ନିଆରା। ଗତ ୧୦ ବର୍ଷ ମଧ୍ୟରେ ଜିଲ୍ଲାରେ ହାରାହାରି ୧୦-୧୫ ପ୍ରତିଶତ ବର୍ଷା କମିଥିବା ଅନୁମାନ କରାଯାଉଛି। ବିଶେଷକରି କୋରାପୁଟ ଜିଲ୍ଲାରେ ଜୁଲାଇ ଓ ଅଗଷ୍ଟ ମାସରେ ପ୍ରବଳ ବର୍ଷା ହୋଇଥାଏ। ବହୁ ପୂର୍ବରୁ ମାସ ମାସ ଧରି ବର୍ଷା ଲାଗି ରହୁଥିଲା। ଫଳରେ ଲୋକେ ଘରୁ ବାହାରିପାରୁ ନ ଥିଲେ। କିନ୍ତୁ ଆଗଭଳି ଲଗାଣ ବର୍ଷା ନ ହେଲେ ମଧ୍ୟ ଜୁଲାଇ ଅଗଷ୍ଟ ମାସରେ ପ୍ରାୟ ସପ୍ତାହେ ସପ୍ତାହେ ବର୍ଷା ଲାଗି ରୁହେ, ଯାହାକି ଲୋକଙ୍କୁ ବେଶ ପ୍ରଫୁଲ୍ଲିତ କରିଥାଏ। ବର୍ଷା ଦିନେ ଜଙ୍ଗଲ ପାହାଡ଼ ସବୁ ସବୁଜ ରଙ୍ଗର ଚାଦର ଘୋଡ଼ାଇ ହେବା ଭଳି ଦୃଶ୍ୟ ଦେଖିବାକୁ ମିଳୁଥିଲା ବେଳେ ଦୂରରୁ ଦେଖିଲେ ଲାଗେ ଯେପରି ମେଘ ପାହାଡ଼ର ଶିଖର ସହ ମିଶିଯାଇଛି। ଦେଓମାଳି , ରାଣୀ ଡୁଡୁମା ଏବଂ ମାଛକୁଣ୍ଡରେ ୨୪ ଘଣ୍ଟା କୁହୁଡ଼ି ଭରି ରହିବା ଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ। କୋରାପୁଟ ବର୍ଷାରେ ଭିଜିବାର ମଜା ଅଲଗା। ତେଣୁ ଜିଲ୍ଲା ଓ ରାଜ୍ୟ ବାହାରୁ ବହୁ ସଂଖ୍ୟକ ପର୍ଯ୍ୟଟକ ଏହି ସମୟରେ ଆସି ଥାଆନ୍ତି। ଏହା ବ୍ୟତୀତ ବର୍ଷା ଦିନେ ଜିଲ୍ଲାର ମାଛକୁଣ୍ଡ, କୋଲାବ, ତେଲେଙ୍ଗିରି, ମୁରାନ ଜଳ ଭଣ୍ଡାର ସମେତ ନଦୀ ନାଳଗୁଡ଼ିକ ଜଳ ଭରିରହିବା ଯୋଗୁଁ ସେହି ଅଞ୍ଚଳ ବେଶ ଆକର୍ଷଣୀୟ ହୋଇଥାଏ।
ପ୍ରାକୃତିକ ଜଳ ନିଷ୍କାସନ ବ୍ୟବସ୍ଥା
ବର୍ଷା ଦିନେ କୋରାପୁଟର ଦୁଃଖ କହିଲେ ଦୁର୍ଗମ ଅଞ୍ଚଳବାସୀଙ୍କ ସମସ୍ୟାକୁ ବୁଝାଏ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ଵାରା ବିଭିନ୍ନ ଯୋଜନା ମାଧ୍ୟମରେ କୋରାପୁଟ ଜିଲ୍ଲାର ବିକାଶ ହୋଇଛି କିନ୍ତୁ ଆଜି ମଧ୍ୟ କେତେକ ଅଞ୍ଚଳରେ ରାସ୍ତା ଘାଟ ସମସ୍ୟା ରହିଛି। ଜିଲ୍ଲାର ନାରାୟଣପାଟଣା, ବନ୍ଧୁଗାଁ, ଦଶମନ୍ତପୁର, ଲକ୍ଷ୍ମୀପୁର, ନନ୍ଦପୁର, ଲମତାପୁଟ, ବୈପାରିଗୁଡ଼ା, ବୋରିଗୁମ୍ମା, କୋଟପାଡ଼ ବ୍ଲକ ଅନ୍ତର୍ଗତ ଅନେକ ଗାଁକୁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା କିମ୍ଵା ନଦୀରେ ପୋଲ ହୋଇ ପାରି ନ ଥିବାରୁ ଲୋକେ ବର୍ଷା ଦିନେ ନାନା ସମସ୍ୟାର ସମ୍ମୁଖୀନ ହୁଅନ୍ତି। ତେବେ ଭୌଗୋଳିକ ସ୍ଥିତି ଦୃଷ୍ଟିରୁ କୋରାପୁଟ ଜିଲ୍ଲା ପାହାଡ଼, ପର୍ବତ, ଖାଲ ଢିପ, ନାଳରେ ଭରପୁର ଥିବାରୁ ବର୍ଷା ଜଳ ତୁରନ୍ତ ନିଷ୍କାସିତ ହୋଇଥାଏ। ଯାହା ଫଳରେ ଲୋକେ ଦୀର୍ଘ ସମୟ କଷ୍ଟ ସହିବାକୁ ପଡ଼ି ନଥାଏ।
ବର୍ଷା ଋତୁରେ କୋରାପୁଟ ଜିଲ୍ଲାରେ ବିଭିନ୍ନ ପର୍ବପର୍ବାଣି ପାଳନ କରା ଯାଇଥାଏ। ଗ୍ରାମାଞ୍ଚଳରେ ଚାଷୀ ସାଧାରଣତଃ ଚାଷ ଅନୁକୂଳ ସମୟରେ ଗ୍ରାମଦେବୀଙ୍କ ନିକଟରେ ପୂଜାକରି ଥାଆନ୍ତି। ଅକ୍ଷି ତୃତୀୟାରେ ସାମୁହିକ ପୂଜାର୍ଚ୍ଚନା କରା ଯାଉଥିଲେ ମଧ୍ୟ ଚାଷୀ ସମାଜ ମୌସୁମୀ ଆଗମନ ପରେ ଗାଁ ନିଶାଣୀ ମୁଣ୍ଡାରେ ପୂଜାକରି ଚାଷ କାର୍ଯ୍ୟ ଆରମ୍ଭ କରିବା ସହ ଘରେ ପିଠାପଣା କରି ପର୍ବ ମନାଇ ଥାଆନ୍ତି। ଏହା ବ୍ୟତୀତ ରାକ୍ଷୀ ପୂର୍ଣ୍ଣିମାରେ ମଧ୍ୟ ଲୋକେ ଗୋ ପୂଜନ କରି ଉତ୍ସବ ପାଳନ କରି ଥାଆନ୍ତି।
କୋରାପୁଟ ଜିଲ୍ଲାର ଅଧିକାଂଶ ଚାଷଜମି ଢିପ ହୋଇଥିବାରୁ ସେହି ସବୁ ଜମିରେ କେବଳ ବର୍ଷା ଋତୁରେ ଚାଷ ହୋଇଥାଏ। ବିଲ ଜମିରେ କେବଳ ଧାନ ଚାଷ କରା ଯାଉଥିବାବେଳେ ଢିପ ଜମିରେ ମାଣ୍ଡିଆ, ସୁଆଁ, କାନ୍ଦୁଲ, ମକା, ଆଳୁ, ଅଦା, ହଳଦୀ ଚାଷ କରା ଯାଇଥାଏ। ଚାଷୀ ବର୍ଷା ଋତୁରେ ପନିପରିବା ଚାଷ ମଧ୍ୟ କରିଥାଆନ୍ତି। ବର୍ଷା ଋତୁ ଆସିଗଲେ ଚାଷୀ ଓ ଗ୍ରାମାଞ୍ଚଳର ଦିନ ମଜୁରିଆ ସମସ୍ତେ ଚାଷ କାର୍ଯ୍ୟରେ ମଜ୍ଜି ଯାଇଥାଆନ୍ତି। ସାରାଦିନ କେଉଁଠି ଚାଷୀ ହଳ କରିବା, ବିହନ ବୁଣିବା ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଥିବାବେଳେ ଆଉ କେଉଁଠି ମହିଳାମାନେ ଆଦିବାସୀ ଭାଷାରେ ଗୀତ ଗାଇ ବିଲରେ ତଳି ରୋଉଥିବା ଦୃଶ୍ୟ ଦେଖିବାକୁ ମିଳେ। ସେହିପରି ଆଉ କେତେକ ସ୍ଥାନରେ ମହିଳା ଓ ପୁରୁଷ ଗୀତମରା ପ୍ରତିଯୋଗିତା ନିମଗ୍ନଥାନ୍ତି, ଯାହାକି ସେମାନଙ୍କୁ କାମ କରିବାରେ ଅଧିକ ଉତ୍ସାହିତ କରିଥାଏ।
କୋରାପୁଟ ଜିଲ୍ଲାରେ ଅନେକ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ରହିଛି। ସେଗୁଡ଼ିକ ମଧ୍ୟରୁ ଡୁଡୁମା ଜଳ ପ୍ରପାତ, ପ୍ରସିଦ୍ଧ ଶୈବ ପୀଠ ଗୁପ୍ତେଶ୍ୱର, ଉପର କୋଲାବ ଡ୍ୟାମ୍, କେଚେଲା, ନନ୍ଦପୁରସ୍ଥିତ ବତ୍ରିଶ ସିଂହାସନ, ରାଣୀ ଡୁଡୁମା, ଦେଓମାଳି ଶୃଙ୍ଗ, ବାଲ୍ଡ଼ା ନିକଟ ନାଗେଶ୍ବରୀ ଗୁମ୍ଫା, ଜଲାପୁଟ ଡ୍ୟାମ୍, ପୁଞ୍ଜିଶିଲ ଜଳ ପ୍ରପାତ, କୋରାପୁଟ ସହରସ୍ଥିତ ଶାବର ଶ୍ରୀକ୍ଷେତ୍ର ଇତ୍ୟାଦି ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପର୍ଯ୍ୟଟକମାନଙ୍କୁ ଅଧିକ ଆକର୍ଷିତ କରିଥାଏ। ଏହି ସବୁ ପର୍ଯ୍ୟଟନ କ୍ଷେତ୍ରରେ ବର୍ଷ ତମାମ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ। ବିଶେଷକରି ବର୍ଷା ଋତୁରେ ଦେଓମାଳି, କୋରାପୁଟ ଶାବର ଶ୍ରୀକ୍ଷେତ୍ର, ଗୁପ୍ତେଶ୍ୱରରେ ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସି ଥାଆନ୍ତି। ନଭେମ୍ବର ମାସରୁ ଫେବୃଆରୀ ମଧ୍ୟରେ ଜିଲ୍ଲାକୁ ଅତ୍ୟଧିକ ପର୍ଯ୍ୟଟକ ଆସୁଥିଲେ ମଧ୍ୟ ଜୁନ ଠାରୁ ସେପ୍ଟେମ୍ବର ୪ ମାସ ମଧ୍ୟରେ ଜିଲ୍ଲାକୁ ରାଜ୍ୟ ଓ ଦେଶ ବାହାରୁ ପ୍ରାୟ ୬୦-୭୦ ହଜାର ପର୍ଯ୍ୟଟକ ଆସୁଥିବା ଜଣାପଡ଼ିଛି। ବର୍ଷା ଋତୁରେ କୋରାପୁଟ ଶାବର ଶ୍ରୀକ୍ଷେତ୍ର, ଗୁପ୍ତେଶ୍ୱର ଓ ଦେଓମାଳି ଭ୍ରମଣ ପାଇଁ ପର୍ଯ୍ୟଟକ ଆସି ଥାଆନ୍ତି। କୋରାପୁଟ ସହରରେ ସରକାରୀ ଗେଷ୍ଟ ହାଉସ, ସ୍ୱତନ୍ତ୍ର ସର୍କିଟ ହାଉସ୍, ଡାକ ବଙ୍ଗଳା ଥିବାବେଳେ ଗୁପ୍ତେଶ୍ୱରରେ ପର୍ଯ୍ୟଟନ ବିଭାଗର ପାନ୍ଥ ନିବାସ ରହିଛି। ଦେଓମାଳିରେ ରାତ୍ରୀରହଣି ନିମନ୍ତେ ପ୍ରଶାସନ ପକ୍ଷରୁ କୁଟୀର ନିର୍ମାଣ କରାଯାଇଛି। ଏହା ବ୍ୟତୀତ ୩୦ କିଲୋମିଟର ଦୂରରେ ଥିବା ସେମିଳିଗୁଡ଼ା ସହରରେ ବଡ଼ବଡ଼ ହୋଟେଲ ରହିଛି। କୋରାପୁଟ ଠାରୁ ଗୁପ୍ତେଶ୍ୱର, ଡୁଡୁମା,ଦେଓମାଳି ଯିବାପାଇଁ ପକ୍କା ରାସ୍ତା ଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଟ୍ୟାକ୍ସି ବ୍ୟବସ୍ଥା ରହିଛି। ସେହିପରି କୋରାପୁଟକୁ ଭୁବନେଶ୍ୱର ,ରାଉରକେଲା, କିରନ୍ଦୂଲ୍, ହାୱଡା,ବିଶାଖାପାଟଣାକୁ ସିଧା ଟ୍ରେନ୍ ଥିବା ଯୋଗୁଁ ଏହା ପର୍ଯ୍ୟଟକମାନଙ୍କ ପାଇଁ ବଡ଼ ସୁଯୋଗ। ତେଣୁ ଲୋକେ ସିଧା କୋରାପୁଟ ଆସିବା ନିମନ୍ତେ ଆଗ୍ରହ ପ୍ରକାଶ କରନ୍ତି।

